ମହିଳାମାନେ ଶ୍ରମ ଦେଲେ ଓ ଅର୍ଥ ବି ଦେଲେ। ତାଙ୍କ ଉଦ୍ୟମରେ ଗାଁ ଦାଣ୍ଡରୁ ବର୍ଷ ବର୍ଷର ନର୍ଦ୍ଦମା ହଟିଲା, ପଙ୍କପୋକ ସଫାହେଲା, ଦୁର୍ଗନ୍ଧ ପରିବେଶରେ ଥିବା କୂଅ ହେଲା ପିଇବା ଉପଯୋଗୀ।
![. .](https://farm2.staticflickr.com/1553/23597078033_cbb37553fb.jpg)
ବେଲଟୁକୁରୀ ପଞ୍ଚାୟତ ଗୁଡ଼ାପତରା ରାଜସ୍ୱ ଗ୍ରାମର ୧୨୪ ପରିବାରରେ ରହନ୍ତି ୬୦୦ ଲୋକ। ଗାଁ ମୁଣ୍ଡ ଗାଇଗୋଠ ଛକରେ ଏକ ପରିତ୍ୟକ୍ତ ଖୋଲା କୂପରୁ ପାଣି ଝରି ଆଖପାଖର ଖଣ୍ଡେ ଜାଗା ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଥାଏ। ସେ ବାଟ ଦେଇ ଯାଇଥିବା ଲୋକେ ନାକରେ ହାତ ଦେଇ ଯାଆନ୍ତି। ମଶାଙ୍କ ଏନ୍ତୁଡ଼ିଶାଳ ହୋଇଥିବା ଏହି ଯାଗାରେ ଘଡ଼ିଏ ଠିଆହେବାକୁ କେହି ପସନ୍ଦ କରନ୍ତି ନାହିଁ। ଗାଈ ବଳଦ ପଚା ପଙ୍କ କାଦୁଅରେ ଲସର ପସର ହୋଇଥାନ୍ତି। ଦୁର୍ଗନ୍ଧ ପରିବେଶ ଯୋଗୁଁ ପାଖରେ ଥିବା ଖୋଲା କୂପଟି ମଧ୍ୟ ଅଦରକାରୀ ହୋଇପଡ଼ିଥାଏ।
ଏହିଭଳି ବିକଟ ପତିସ୍ଥିତିକୁ ସୁଧାରିବା ପାଇଁ ଗାଁଲୋକଙ୍କର ବି ଯେ ଭୂମିକା ଥାଇପାରେ ତାହା କେହି ଅନୁଭବ କରୁ ନଥିଲେ । ଆର୍.ସି.ଡି.ସି ତାହାର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଗାଁ ମଧ୍ୟରେ ଗୁଡ଼ାପତରା ମଧ୍ୟ ଗୋଟିଏ। ପ୍ରଥମେ ଯେତେବେଳେ ଜଳ ପରିମଳ ବିଷୟରେ ଗାଁରେ ଆଲୋଚନା ହେବା ଆରମ୍ଭ ହେଲା ଜଣେ ଦି ଜଣ ଛାଡି କେହି ବି ଆଗ୍ରହୀ ନ ଥିଲେ । କ୍ରମଶଃ ମହିଳାମାନଙ୍କ ସହିତ ଅନ୍ୟ କିଛି ବ୍ୟକ୍ତି ବି ଆଲୋଚନାମାନଙ୍କରେ ଯୋଗଦେବା ଆରମ୍ଭ କଲେ । ଆଲୋଚନାମାନଙ୍କରେ ଗାଁର ଜଳ ପରିମଳ ସ୍ଥିତି ଚର୍ଚ୍ଚା ହେବା ଆରମ୍ଭ ହେଲା। ଏମିତି ଏକ ଆଲୋଚନାରେ ଅବ୍ୟବହୃତ ହୋଇ ପଡ଼ିଥିବା ସେହି କୂଅର ଚର୍ଚ୍ଚା ପଡିଲା। କୂଅ ନିକଟର ନର୍ଦ୍ଦମା କଥା ମଧ୍ୟ ଗାଁ ଲୋକ ଆଲୋଚନା କଲେ। ପ୍ରତିକାର କରିବା ପାଇଁ ପଞ୍ଚାୟତ ଓ ସରକାରୀ ବିଭାଗକୁ ଚିଠି ଲେଖିଲେ। କିନ୍ତୁ ପରିସ୍ଥିତିରେ କିଛି ପରିବରର୍ତ୍ତନ ହେଲା ନାହିଁ।
![. .](https://farm2.staticflickr.com/1647/23597076433_b7f6f670b0.jpg)
ନର୍ଦ୍ଦମା ପୋତା ହୋଇସାରିବା ପରେ ନଜର ପଡିଲା ଅବ୍ୟବହୃତ ଖୋଲା କୂପଟି ଉପରେ। ଏହାର ପାଣି ମିଠା ଥିଲା। ଫ୍ଲୋରାଇଡ୍ ପ୍ରଦୂଷଣରୁ ମୁକ୍ତ ଥିଲ। ଏହାକୁ ପୁନଃଉଦ୍ଧାର କରି ପରିମଳ କୂପ ରୂପେ ବଦଳାଗଲେ ପିଇବା ପାଣିର ସମସ୍ୟା ସମାଧାନ ହୋଇପାରିବ ବୋଲି ଗ୍ରାମସଭାରେ ଆଲୋଚନା କରାଗଲା। ଏଥିପାଇଁ ୫୦ ହଜାର ଖର୍ଚ୍ଚର ଅଟକଳ ବି ପ୍ରସ୍ତୁତ ହେଲା।
ଦୁଇ ଟ୍ରକ୍ ଇଟା କିଣିବା ବାବଦକୁ ୭,୦୦୦ ଟଙ୍କା, ୧ ଟ୍ରିପ୍ ବାଲି ବାବଦକୁ ୭୦୦ ଟଙ୍କା, ୧ କ୍ୟୁଣ୍ଟାଲ ଲୁହାଛଡ ୪,୫୦୦ ଟଙ୍କା, ମେଟାଲ ବାବଦକୁ ୧,୮୦୦ ଟଙ୍କା , ଚିପ୍ପ ୫,୫୦୦ ଟଙ୍କା ଓ ୧୫ ବସ୍ତା ସିମେଣ୍ଟ ବାବଦକୁ ୪,୬୫୦ ଟଙ୍କା ଓ ନନ୍ୟାନ୍ୟ ଖର୍ଚ୍ଚ ମିଶି ୫୦ ହଜାର ଟଙ୍କା ହେଲେ ଯାଇ ପରିମଳ କୂପଟିଏ ହୋଇପାରନ୍ତା ଏବଂ ଫ୍ଲୋରାଇଡ୍ ପ୍ରଦୂଷିତ ପାଣି ପିଇ ରୋଗଗ୍ରସ୍ତ ହେବାର ଆଶଙ୍କା ରହନ୍ତା ନାହିଁ ବୋଲି ଆଲୋଚନା ହୋଇଥିଲା। ' ଗ୍ରାମ୍ୟ ଜଳ ଓ ପରିମଳ କମିଟି ଜରିଆରେ ଆମେ ଆରସିଡିସିକୁ ସହାୟତା ପାଇଁ ଅନୁରୋଧ କରିବା ପରେ ୪୦ ହଜାର ଟଙ୍କା ଅନୁଦାନ ଦେବା ପାଇଁ ଆରଚିଡିସି କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଥିଲେ '' , କହନ୍ତି ଜଳ ପରିମଳ କମିଟୀର ସଦସ୍ୟ ସୁକେଶୁ ପାଣ୍ଡେ। ଅବଶିଷ୍ଟ ୧୦ ହଜାର ଟଙ୍କାର ଶ୍ରମ ଓ ସ୍ଥାନୀୟ ସାଧନ ଦେବା ପାଇଁ ଗ୍ରାମବାସୀ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଏ କାମ ଦେଖାରଖା ପାଇଁ ଗାଁରେ ଏକ କମିଟୀ ଗଢାଯାଇଥିଲା। ଆରସିଡିସି କାର୍ଯ୍ୟକାରୀ କରୁଥିବା ପ୍ରକଳ୍ପରୁ ଚାଳିଶ ହଜାର ଟଙ୍କା ଆର୍ଥିକ ସହାୟତା ଓ ଗ୍ରାମବାସୀଙ୍କ ଶ୍ରମଦାନରେ ଏବେ ଗାଁରେ ପରିମଳ କୂପର କାମ ଚାଲିଛି ଆସନ୍ତା ଖରାଦିନ ପୂର୍ବରୁ ଏହାର ନିର୍ମାଣ ଶେଷ ହେବ। ମହିଳା ଦଳଙ୍କ ସଂଗଠିତ ଉଦ୍ୟମ ପାଇଁ ବହୁ ଦିନର ଜଳ ସମସ୍ୟା ଏବେ ସମାଧାନ ହେବାକୁ ଯାଉଛି ବୋଲି କହନ୍ତି ସୁକେଶୁ।
Path Alias
/articles/paraitayakata-kauua-haoigalaa-paraimala-kauua
Post By: Hindi