ସ୍ୱଚ୍ଛ ଭାରତର ଆହ୍ୱାନରେ ମତୁଆଲା ନୂଆପଡ଼ା ଜିଲ୍ଲାର ଗାଁ ।
ଆରମ୍ଭ କରିଛନ୍ତି ଶ୍ରମଦାନର ପରମ୍ପରା, ପିଲାଠୁ ବୁଢ଼ା ସଭିଏଁ ସାମିଲ ହୋଇ ଗାଁକୁ ସ୍ୱଚ୍ଛ ପାଇଁ ନେଉଛନ୍ତି ବଜ୍ର ଶପଥ।
ସଫା ରହିବାର ବାଟ ବାଛି ନେଇଛନ୍ତି ଗ୍ରାମବାସୀ । ଗୋଟିଏ ଦିନ କି ମାସେ ପାଇଁ ନୁହଁ, ବରଂ ନିୟମିତ ସଫା ସୁତୁରା ପାଇଁ ସାମୁହିକ ଶପଥ ନେଇଛନ୍ତି । ଆରସିଡିସିର କର୍ମୀମାନଙ୍କ ପ୍ରବର୍ତ୍ତନାରେ ୱାଟରଏଡ୍ ପ୍ରକଳ୍ପାଞ୍ଚଳର ସବୁ ଗାଁରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଗାଁର ପିଲାଙ୍କ ଠାରୁ ବୁଢ଼ାବୁଢ଼ୀ ଯାଏଁ, ଛାତ୍ରଛାତ୍ରୀ, ଯୁବକ, ଶ୍ରମିକ, ଶିକ୍ଷକ, କୃଷକଙ୍କ ଯାଏଁ ସମସ୍ତେ ହାତରେ ଝାଡ଼ୁ କୋଦାଳ ଧରି ଗାଁ ଦାଣ୍ଡ, ବିଦ୍ୟାଳୟ, କୂଅମୂଳ, ନଳକୂପ ଚାରିପାଖ, କାର୍ଯ୍ୟାଳୟ ଆଖପାଖରୁ ମଇଳା ଉଠାଇଛନ୍ତି । ନାଳରେ ଜମିଥିବା ବର୍ଷ ବର୍ଷର ପଙ୍କ କାଦୁଅ ବାହାର କରିଛନ୍ତି । ସମସ୍ତ ଗାଁରେ ମିଳିଛି ଅଭୁତପୂର୍ବ ସମର୍ଥନ । ଆରମ୍ଭ ହୋଇଛି ସ୍ୱଚ୍ଛ ଭାରତ ଅଭିଯାନ ।
ନୂଆଗାଆଁ ପଞ୍ଚାୟତର ଥୁଟିବର, କାମକେଡ଼ା, କାଲିମାଟି ଗାଁରେ ଯଥାକ୍ରମେ ୩୮, ୨୧୮ ଓ ୬୩ ଜଣ ମହିଳା ପୁରୁଷ ୧୨, ୧୩ ଓ ୧୫ ଅକ୍ଟୋବର ୨୦୧୪ରେ ସାମୁହିକ ଶ୍ରମଦାନ ଜରିଆରେ ଗାଁ ପରିବେଶ ନିର୍ମଳ କରିଥିବା ବେଳେ ଭାଲେଶ୍ୱର ପଞ୍ଚାୟତର ଭାଲେଶ୍ୱର, ଆମୋଦି, କୁରୁମୁଣ୍ଡା ଟାମକିଦାଦର, ବାରକୋଠି, କନ୍ଦାତାପ ଆଦି ଗ୍ରାମର ଚତୁଃପାର୍ଶ୍ୱ , ଜଳଉତ୍ସ ଓ ବାରକୋଠି ବିଦ୍ୟାଳୟ ପରିସରରେ ସଫେଇ କରାଯାଇଥିଲା। ସାଇପଲା ପଞ୍ଚାୟତର ସାଇପଲା , ସାଲେପଡ଼ା, ଖଇରାନୀ ପିପଲଛଣ୍ଡି, ଡୁଙ୍ଗୁରିପଡ଼ା ଗ୍ରାମ ସଫେଇରେ ପୁରୁଷମାନଙ୍କ ଠାରୁ ଦ୍ୱିଗୁଣା ସଂଖ୍ୟକ ମହିଳା ଭାଗ ନେଇଥିଲେ । ମୋଟ ୬୯ଜଣ ପୁରୁଷ ଗାଁ ସଫେଇରେ ଭାଗ ନେଇଥିବା ବେଳେ ୧୬୪ମହିଳାଙ୍କ ଅଂଶ ଗ୍ରହଣ ଦେଖିବାକୁ ମିଳିଥିଲା । ବେଲଟୁକୁରୀ ପଞ୍ଚାୟତର ସିଅପୁର, କାଦୋମେରୀ, ଦେଓଗାଁ, ଗୁଡ଼ପଦର,ବଖରମାଲ ସମେତ କୁରେଶ୍ୱର, ଉଦ୍ୟାନବନ୍ଧ, ଚହକୋପଡ଼ା, ଦୋହଲପଡ଼ା ଆଦି ଗ୍ରାମ ଓ ରେଙ୍ଗ ତଥା ଖଇରବାଡ଼ିର ବିଦ୍ୟାଳୟ ପରିସରକୁ ସଫା କରିଥିଲେ ଗ୍ରାମବାସୀ ।
ଯେତେବେଳେ ସାରା ରାଜ୍ୟ ହୁଡ୍ ହୁଡ୍ ର ସମ୍ଭାବ୍ୟ ବିପଦ ଓ କ୍ଷୟକ୍ଷତିର ଆଶଙ୍କାକୁ ନେଇ ପ୍ରାକ୍ ପ୍ରସ୍ତୁତ କରୁଥିଲେ ସେହି ସମୟରେ ନୂଆପଡ଼ା ଜିଲ୍ଲା ସାଇପଲା ପଞ୍ଚାୟତର ଡୁଙ୍ଗୁରିପଡ଼ା ଗ୍ରାମବାସୀ ଗ୍ରାମ ସଫେଇ ପାଇଁ ତାରିଖ ଧାର୍ଯ୍ୟ କରି ଏକାଠି ହୋଇଥିଲେ । ହୁଡ୍ ହୁଡ୍ ର ଆଶଙ୍କା ନୂଆପଡ଼ା ପାଇଁ ନଥିଲା । ଆରସିଡିସିର କର୍ମକର୍ତ୍ତାମାନେ ସମ୍ଭାବ୍ୟ ବର୍ଷା ପାଇଁ ସଫେଇ କାର୍ଯ୍ୟକ୍ରମ କରାଯିବ କି ନାହିଁ ଲୋକଙ୍କୁ ପଚାରିବା ପରେ ଗ୍ରାମବାସୀମାନେ ଗ୍ରାମ ସଫେଇ କରାଯିବ ବୋଲି ସମ୍ମତ୍ତି ପ୍ରଦାନ କରିଥିଲେ ଓ ୧୨.୩୦ମିନିଟ୍ ରେ ଝାଡୁ କୋଦାଳ ମାନ ଧରି ଗାଁ ଦାଣ୍ଡରେ ଏକାଠି ହୋଇଥିଲେ। ଆକାଶ ମେଘମୁକ୍ତ ଓ ନିର୍ମଳ ଥିଲା ।
ଗାଁ ସୀମାରେ ଥିବା ମାଟି ଠାକୁରାଣୀଙ୍କ ନିକଟରେ ସମବେତ ହୋଇ ସାମୁହିକ ଶପଥ ପାଠ କରାଯିବା ପରେ ଗାଁ ସଫେଇ ଆରମ୍ଭ ହୋଇଥିଲା । ସ୍ୱଚ୍ଛ ଅଭିଯାନ ଗୋଟିଏ ଦିନ ନୁହଁ ଏହାକୁ ନିତିଦିନିଆ ଅନୁସୃତ ପାଇଁ ଲୋକେ ଶପଥ ନେଲେ । ଗାଁ ଦାଣ୍ଡ, ନାଳ, ସାମୁହିକ ଚଳପ୍ରଚଳ ସ୍ଥାନଗୁଡ଼ିକ ସଫେଇ କରାଯାଇଥିଲା ।
୧୨ ଅକ୍ଟୋବର ୨୦୧୪ରେ କାମକେଡ଼ା ଗ୍ରାମ୍ୟଜଳ ପରିମଳ କମିଟି ଆନୁକୂଲ୍ୟରେ ଆରମ୍ଭ ହୋଇଥିଲା ଗ୍ରାମ ସଫେଇ କାର୍ଯ୍ୟକ୍ରମ । କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଭକ୍ତରାମ ଶବର ଆନୁଷ୍ଠାନିକ ପୂଜାପାଠ ଓ ଶପଥବାର୍ତ୍ତା ପାଠ କରିବା ପରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାମ୍ୟଜଳ ପରିମଳ କମିଟିର ସଭାପତି ମହେନ୍ଦ୍ର ଶବର, ସମ୍ଫାଦିକା ସତ୍ୟଭାମା ଶବରଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ଅଭିଯାନରେ ସାମିଲ ଥିଲେ । ଲକ୍ଷ୍ମୀପୂଜା ମଣ୍ଡପ ଠାରୁ ବରପଦାପଡ଼ା, ଗୌନ୍ତିଆପଡ଼ା, ବସ୍ତି, ତାଳଗଛପଡ଼ା ଓ ହରିଜନପଡା ସଫେଇ କରାଯାଇଥିଲା ।
ଏତେ ସଂଖ୍ୟକ ନରନାରୀ ଏକାଠି ହୋଇ ଗାଁ ସଫେଇରେ ଅଂଶଗ୍ରହଣ କରିବାର ଇଏ ଥିଲା ପ୍ରଥମ ଘଟଣା । ୨୧୮ ଜଣ ପୁରୁଷ ମହିଳା ଏକାଠି ହୋଇ ୧୪ଟି ନଳକୂପ ଚାରିପାଖ ସଫା କରିବା ସହ ବିଭିନ୍ନ ବସ୍ତିର ଗାଁ ଦାଣ୍ଡ ଓ ସ୍କୁଲ ପରିସର ସଫା କରିଥିଲେ ।
ବିଦ୍ୟାଳୟ ସଫେଇ
୧୧ ଅକ୍ଟୋବର ୨୦୧୪, ରେଙ୍ଗ ବିଦ୍ୟାଳୟ ପାଇଁ ସେଦିନ ଥିଲା ନିଆରା ଘଟଣା । ପ୍ରାର୍ଥନା ପରେ ସବୁଦିନ ପରି ଛାତ୍ରଛାତ୍ରୀମାନେ ଶ୍ରେଣୀ କକ୍ଷକୁ ଫେରିନଥିଲେ । ସ୍ୱାଧିନତା ଦିବସ ଓ ଗଣତନ୍ତ୍ର ଦିବସ ପାଳନ ପରି ସେଦିନର ପରିବେଶ ଥିଲା । ବିଭିନ୍ନ ଶ୍ରେଣୀର ୧୧୮ ଜଣ ଛାତ୍ରଛାତ୍ରୀଙ୍କ ଗହଣରେ ଉପସ୍ଥିତ ଥିଲେ ୫ଜଣ ଶିକ୍ଷକ, ୩ଜଣ ଶିକ୍ଷୟତ୍ରୀ, ୫ଜଣ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଦୁଇଜଣ ଆରସିଡିସିର କର୍ମୀ । ମୋଟ ୧୨୩ ଜଣଙ୍କ ଉପସ୍ଥିତିରେ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ଆଲୋଚନା କରାଗଲା । ସଫା ସୁତୁରା ରହିଲେ ରୋଗ ହେବନି ବୋଲି ଅତିଥିମାନେ ପିଲାଙ୍କୁ ବୁଝାଇଥିଲେ ।
ବ୍ୟକ୍ତିଗତ ପରିଚ୍ଛନ୍ନତା, ଗାଁ ପରିମଳ, ହାତଧୁଆ ଅଭ୍ୟାସ ସଂପର୍କରେ ବୁଝାଗଲା । ପିଲାମାନେ ନିଜ ଘରେ ବାପା ମା ଭାଇ ଭଉଣୀଙ୍କୁ ବୁଝାଇବେ କହିଲେ । ସଭା ଶେଷରେ ବିଦ୍ୟାଳୟ ଓ ଗାଁ ସଫେଇ କରିବା ନିଷ୍ପତ୍ତି ନିଆଗଲା । ପିଲାମାନେ ଝୁଡ଼ି କୋଦାଳ ଧରି ଆସିବା ବେଳକୁ ଗାଁର ବଡ଼ମାନେ ଏ କାମ ପିଲାମାନଙ୍କ ନୁହଁ ଆମ ସମସ୍ତଙ୍କର ବୋଲି କହି ଶ୍ରମଦାନରେ ସାମିଲ ହେଲେ । ଉପରପଡ଼ା, ହରିଜନ ପଡ଼ାରେ ଲୋକେ ତୁରନ୍ତ ଝାଡ଼ୁଧରି ସଫା କରିବା ଆରମ୍ଭ କରିଦେଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଗ୍ରାମର ଉତ୍ତର ଠାରୁ ଦକ୍ଷିଣ ପାର୍ଶ୍ୱ ଚକାଚକ୍ ହୋଇଯାଇଥିଲା । ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଗ୍ରାମବାସୀଙ୍କ ସାମର୍ଥ୍ୟରେ ପରିଣତ ହୋଇଯାଇଥିଲା ।
ନୂଆପଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗଠିତ ଜଳବନ୍ଧୁ ମଞ୍ଚ ଓ ଗ୍ରାମ୍ୟ ଜଳ ଓ ପରିମାଳ କମିଟିଗୁଡ଼ିକ ସ୍ୱଚ୍ଛ ଭାରତ ଅଭିଯାନ ଜନ ଆନ୍ଦୋଳନ ଭାବେ ଗ୍ରହଣ କରିଛନ୍ତି । ଏବେ ନୁହଁ ତ କେବେ ନୁହଁ ର ନାରା ଦେଇ ଗାଁ ଗାଁରେ ଆରମ୍ଭ ହୋଇଛି ପରିମଳ ଅଭିଯାନ ।ସମସ୍ତ ବର୍ଗର ଜନସାଧାରଣ ଏଥିରେ ଭାଗ ନେଉଛନ୍ତି । ସଭା, ଶୋଭାଯାତ୍ରା, ସାମୁହିକ ଶପଥପାଠ ଓ ଗାଁ ସଫେଇର ଦୃଶ୍ୟ ଏବେ ବିଭିନ୍ନ ଗାଁରେ ଦେଖିବାକୁ ମିଳୁଛି ।
Path Alias
/articles/sawacacha-nauuapadaa-abhaiyaana
Post By: Hindi