ନୂଆପଡ଼ାରେ ଫ୍ଲୋରାଇଡ୍ ସମସ୍ୟାର ନିରାକରଣ ପାଇଁ ସରକାର କରିଛନ୍ତି ଅନେକ ଯୋଜନା କିନ୍ତୁ ଫଳ ହେଉନି ଉତ୍ସାହଜନକ କାରଣ ଲୋକେ ଓ ପଞ୍ଚାୟତ ତହିଁରେ ହେଉନାହାନ୍ତି ସାମିଲ। ଏହି ବ୍ୟୁହରୁ ମୁକ୍ତି ପାଇଁ ଆରମ୍ୱ ହୋଇଛି ଉଦ୍ୟମ।
ନୂଆପଡ଼ା ଜିଲ୍ଲାରେ ରହିଛି ୨୩୫୫ଟି ଜନବସତିରୁ ୯୦୫ଟି ଜନବସତି ଫ୍ଲୋରାଇଡ୍ ଆକ୍ରାନ୍ତ ବୋଲି ସରକାରୀ ତଥ୍ୟ କହେ। ଜିଲ୍ଲାର ମୋଟ ୬୨୩୫ ନଳକୂପ ମଧ୍ୟରୁ ୧୭୧୪ ନଳକୂପରେ ଫ୍ଲୋରାଇଡ୍ ରହି ଫ୍ଲୋରୋସିସ୍ ରୋଗ ସୃଷ୍ଟି କରୁଥିବା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସୂଚିତ କରାଇଛି।ଫ୍ଲୋରୋସିସ୍ ରୁ ନୂଆପଡାକୁ ମୁକ୍ତ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୧୫ ମସିହାରେ ପ୍ରଦାନ କରିଥିବା ସଦ୍ୟତମ ସୂଚନା ଅନୁସାରେ ୧୩୫ଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ୩୮୫ଟି ବସତିକୁ ଜଳଯୋଗାଣର ବ୍ୟବସ୍ଥା ହୋଇସାରିଛି। ଗତ ନଭେମ୍ୱର ୨୦୧୪ରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୨୦୧୫ ସୁଦ୍ଧା ନୂଆପଡ଼ା ଜିଲ୍ଲାରେ ଫ୍ଲୋରାଇଡ୍ କବଳରୁ ଜିଲ୍ଲାବାସୀଙ୍କୁ ମୁକ୍ତି ଦେବା ପାଇଁ ୫୦୦ ଫ୍ଲୋରାଇଡ୍ ମୁକ୍ତ ନଳକୂପ ଖନନ କରଯିବାର ଘୋଷଣା କରିଥିଲେ। ଏହା ସହ ୨୭୩.୮୭ କୋଟି ଟଙ୍କା ବ୍ୟୟରେ ୨୧ଟି ମେଗା ପ୍ରକଳ୍ପ ଜରିଆରେ ୫୩୩ ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ସରକାର ଯୋଜନା କରିଥିଲେ। ୨୧ ଟି ପ୍ରକଳ୍ପ ମଧ୍ୟରୁ ଅକ୍ଟୋବର ୨୦୧୪ ସୁଦ୍ଧା ୪ଟି ପ୍ରକଳ୍ପର କାମ ଆରମ୍ଭ ହୋଇଛି ବୋଲି ସରକାରୀ ନଥି କହୁଥିବା ବେଳେ ଅନ୍ୟ ସମସ୍ତ ପ୍ରକଳ୍ପର କାମ ଆରମ୍ଭ ହୋଇନଥିଲା। ଫ୍ଲୋରାଇଡ୍ ସମସ୍ୟାର ସମାଧାନ ପାଇଁ ନୂଆପଡ଼ା ଜିଲ୍ଲାରେ ପୃଥକ୍ ଭାବେ ଏକ ପ୍ରୋଜେକ୍ଟ ଡିଭିଜନ ବି ସୃଷ୍ଟି କରାଯାଇଥିଲେ ସୁଦ୍ଧା ସେମିତି କିଛି ଠୋସ୍ ପଦକ୍ଷେପ ନିଆଯାଉନଥିବାରୁ ଗ୍ରାମବାସୀମାନେ କିମ୍ୱା ପଞ୍ଚାୟତ ଗୁଡିକ ସେସବୁ ବିଷୟରେ ବିଶେଷ କିଛି ଜାଣିନଥିଲେ। ଏବେ ରାଜ୍ୟ ସରକାର ପୁଣି ଅନ୍ୟ କିଛି ନୂଆ ଯୋଜନା ହାତକୁ ନେଇଛନ୍ତି। ପ୍ରତି ବସ୍ତିର ଅନ୍ତତଃ ଗୋଟିଏ ନଳକୂଅରେ ଫ୍ଲୋରାଇଡ୍ ମୁକ୍ତ ପାଣି ପାଇଁ ଫିଲଟର୍ ଲଗାହେବ। ସରକାର ଏଥିପାଇଁ ଭାରତ ସରକାରଙ୍କ ସଂସ୍ଥା 'ନିରି' କୁ ଦାଇତ୍ୱ ଦେଇଛନ୍ତି। ଅନ୍ୟ ପଟେ ସମଗ୍ର ନୂଆପଡ଼ା ଜିଲ୍ଲାର ବଳକା ଅଞ୍ଚଳକୁ ପାଇପ ଯୋଗେ ସୁରକ୍ଷିତ ଜଳଯୋଗାଣ ପାଇଁ ୭୫୨ କୋଟି ଟଙ୍କାର ଏକ ବିଶାଳ ପ୍ରକଳ୍ପ ପ୍ରସ୍ତୁତ କରି ନାବାର୍ଡ ନିକଟରେ ଦାଖଲ କରିଛନ୍ତି।
ଏହି ଭଳି ସରକାରୀ ଯୋଜନାମାନଙ୍କରେ ବିଶେଷକରି ଯେଉଁଥିରେ ଲୋକଙ୍କର ଜରୁରୀ ଆବଶ୍ୟକତା ଜଡିତ ରହିଛି, ସେଥିରେ ଲୋକେ ଓ ପଞ୍ଚାୟତ ସାମିଲ ନରହିଲେ କିମ୍ୱା ବିଭିନ୍ନ ବର୍ଗ ଓ ଅଶୀଂଦାରଙ୍କ ଭିତରେ ତାଳମେଳ ନ ର୍ହିଲେ ସରକାର ଭୁଲ ଯୋଜନା କରିପାରନ୍ତି ଏବଂ ଭଲ ଯୋଜନା କଲେ ମଧ୍ୟ ତାହା ଭେଲ ହେବାର ଆଶଙ୍କା ଯଥେଷ୍ଟ ରହିଛି। ୱାଟରଏଡ୍ ସହାୟତାରେ ଆରସିଡିସି ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରକଳ୍ପ ଏହି ଦିଗଟି ପ୍ରତି ଜାଗ୍ରତ। ଏହି ସବୁରେ ଲୋକଙ୍କ ଓ ପଞ୍ଚାୟତମାନଙ୍କ ଭାଗିଦାରୀ ବଢାଇବା ପାଇଁ ପ୍ରକଳ୍ପଟି ଉଦ୍ୟମ କରୁଛି। ଆରସିଡିସି ପକ୍ଷରୁ ନୂଆପଡ଼ା ଜିଲ୍ଲାର ପା଼ଞ୍ଚଟି ପଞ୍ଚାୟତରେ ଜଳର ଗୁଣାତ୍ମକମାନ ଉପରେ ନିର୍ଦ୍ଦିଷ୍ଟ କେତେକେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜାଣିବା ପରେ ଗ୍ରାମବାସୀମାନେ ସହଯୋଗ ପାଇଁ ଆଗେଇ ଆସିଥିଲେ। ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଢାଯାଇଛି। ଜଳ ଓ ପରିମଳ କମିଟିରେ ପ୍ରତିନିଧିମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ଜଳବନ୍ଧୁ ମଞ୍ଚ ଓ ବ୍ଲକ ସ୍ତରୀୟ ମଞ୍ଚ ଗଠନ କରାଯିବା ପରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଫ୍ଲୋରାଇଡ୍ ନିରାକରଣ ପଦକ୍ଷେପକୁ ସମର୍ଥନ କରିବା ପାଇଁ ଗାଁ ସ୍ତରରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ସଂଗଠିତ ଭାବେ ଜଳର ମାନକୁ ନେଇ ଚର୍ଚ୍ଚା କରିବାର ପ୍ରକ୍ରିୟା ଜିଲ୍ଲା ପ୍ରଶାସନକୁ କ୍ରିୟାଶୀଳ କରାଇଥିଲା। ଦୀର୍ଘଦିନ ଧରି ଅଟକିଥିବା ପାଇପ୍ ଜଳ ପ୍ରକଳ୍ପକୁ ଗାଁ ଠାରୁ ବିଧାନ୍ସଭା ଯାଏ ଆଲୋଚନା ଜୋର ଧରିଥିବା ବେଳେ ୨୦୧୪ ଶେଷ ଆଡକୁ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ କରି ମାର୍ଚ୍ଚ ୨୦୧୫ ସୁଦ୍ଧା ନୂଆପଡ଼ାବାସୀଙ୍କୁ ଫ୍ଲୋରାଇଡ୍ ମୁକ୍ତ ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ଜଳ ଓ ପରିମଳ ବିଭାଗ ତଥା ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ଏ ଦିଗରେ ତତ୍ପରତା ପ୍ରକାଶ ପାଇଥିଲା। କିନ୍ତୁ ସରକାରୀ ଯୋଜନାର କ୍ରିୟାନ୍ୱୟନ ସମ୍ପୂର୍ଣ୍ଣ ଭାବରେ ଶିଥିଳ ବୋଲି କହନ୍ତି ଭାଲେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ ଚଇତରାମ ନାଏକ। ଆମୋଦି ମେଗା ପ୍ରକଳ୍ପ ଜରିଆରେ ଭାଲେଶ୍ୱର ପଞ୍ଚାୟତକୁ ମଧ୍ୟ ଜଳ ଯୋଗାଣର ଯୋଜନା ଅଛି। 'ଗାଁ ଲୋକ ତ ଦୂରର କଥା ଆମ ପଞ୍ଚାୟତ ପାଖରେ ମଧ୍ୟ ସେହି ପ୍ରକଳ୍ପ ବା ଅନ୍ୟ ପାନୀୟ ଜଳ ପ୍ରକଳ୍ପ ବିଷୟରେ କୌଣସି ତଥ୍ୟ ନାହିଁ, ସମ୍ପୃକ୍ତ ବିଭାଗ ଆମକୁ କିଛି ଜଣାଉ ନହାନ୍ତି'', କହନ୍ତି ଶ୍ରୀ ନାଏକ। ପଞ୍ଚାୟତ ନିକଟରେ ପାନୀୟ ଜଳ ପ୍ରକଳ୍ପ ସମ୍ୱନ୍ଧିତ କିଛ ତଥ୍ୟ ନଥିବା ବେଳେ ସାଧାରଣ ଗ୍ରାମବାସୀ ତାହା ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଓ ଉଦାସୀନ ଥିଲେ।
କିନ୍ତୁ ଗାଁମାନଙ୍କରେ ଜଳପରିମଳ କମିଟି ଗଠନ ହେବା ସହିତ ପଞ୍ଚାୟତ ସ୍ତରରେ ସେମାନଙ୍କ ପ୍ରତିନିଧିଙ୍କୁ ନେଇ ଜଳବନ୍ଧୁ କମିଟୀ ଗଠନ ହେବାପରେ ପରିସ୍ଥିତିରେ କିଛି ପରିବର୍ତ୍ତନ ହେବାରେ ଲାଗିଛି। ଏବେ ଲୋକେ ପାନୀୟ ଜଳ ପ୍ରକଳ୍ପ ବିଷୟରେ ଆଗ୍ରହୀ ହେବା ସହିତ ତାହାର କାର୍ଯ୍ୟକାରିତା କିପରି ତ୍ୱରାନ୍ୱିତ ହୋଇପାରିବ ତାହାକୁ ନେଇ ଆଶାବାଦୀ ହୋଇଛନ୍ତି। ସରକାରଙ୍କ ଗ୍ରାମ୍ୟ ଜଳପରିମଳ ବିଭାଗ ସହିତ ଯୋଗାଯୋଗ ବଢାଇ ଦାବୀ ଓ ମତାମତ ଦେବା ସହିତ କାମର ମାନ ଜନ ତଦାରଖ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। କିନ୍ତୁ ଜଳବନ୍ଧୁ କର୍ମକର୍ତ୍ତା ତଥାପି ବି ଅସନ୍ତୁଷ୍ଟ। କାରଣ ସରକାରୀ ଯୋଜନା ତଥାପି ବି ପ୍ରାୟ ସ୍ଥାଣୁ। ସରକାରଙ୍କ ତରଫରୁ କରାଯାଇଥିବା ୨୧ଟି ମେଗା ପ୍ରକଳ୍ପ ମଧ୍ୟରୁ କେବଳ ଆମୋଦି ପ୍ରକଳ୍ପରେ ଅଳ୍ପ କିଛି ଅଗ୍ରଗତି ହୋଇଥିଲା, ତାହା ବି ବର୍ଷେରୁ ଅଧିକ ହେଲାଣି ପ୍ରାୟ ଠପ୍ ହୋଇ ପଡିରହିଛି। ଅନ୍ୟ ପ୍ରକଳ୍ପ ତ ଆରମ୍ଭ ହିଁ ହୋଇ ନାହିଁ।
ଗ୍ରାମବାସୀଙ୍କ ଉଦବେଗ ହେଲା ଯେ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଥିବା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଲୋକଙ୍କ ସହିତ କି ପଞ୍ଚାୟତ ସହିତ କିଛି ଯୋଗସୂତ୍ର ରଖୁନାହିଁ। କେବଳ କଣ୍ଟ୍ରାକ୍ଟର ଜରିଆରେ କାମ କରାଇବାର ଚେଷ୍ଟା ଚାଲିଛି। ଆମୋଦି ପ୍ରକଳ୍ପରେ ମଧ୍ୟ ସେହିଭଳି ରୀତିରେ କାମ ଚାଲିଛି। ନଦୀକୂଳରେ ଥିବା ଜଳସଂଗ୍ରହ କୂପ ଆଡିକି ହାତ ଦେଖାଇ 'ଲୋକଙ୍କୁ କିଛି ନ ପଚରାଯାଇ କରାଯାଉଥିବା କାମର ତାହା ଏକ ଉଦାହରଣ'' , ବୋଲି କହନ୍ତି ଜଳବନ୍ଧୁ ମଞ୍ଚର ଜଣେ ଉତ୍ସାହୀ କର୍ମକର୍ତ୍ତା ଶ୍ରୀ ଭୋଲାନାଥ ଚନ୍ଦ୍ରକାର। ସେହି ସ୍ଥାନଟିକୁ ପାଖଆଖ ଗ୍ରାମର ଲୋକେ ଶ୍ମଶାନ ଭବରେ ବ୍ୟବହାର କରନ୍ତି। ଅନେକ ଲୋକ ଶବ ଆଣି ବାଲିରେ ପୋତି ଦିଅନ୍ତି। ତେଣୁ ସେହି ସ୍ଥାନରୁ ପାଣି ଆଣିବାର ବ୍ୟବସ୍ଥା ହୋଇଥିବାରୁ ଲୋକେ ଅସନ୍ତୁଷ୍ଟ। 'ଏତେବଡ ଯୋଜନା ହେଉଛି କିନ୍ତୁ ଗାଁ ଲୋକଙ୍କୁ କୌଣସି ବିଷୟରେ କେବେ ପଚରା ଯାଇନାହିଁ,'' କହନ୍ତି ଶ୍ରୀ ଚନ୍ଦ୍ରକାର। କାଦୋମେରୀ ଗ୍ରାମ୍ୟ ଜଳ ପରିମଳ କମିଟୀର ସମ୍ପାଦକ ମହେନ୍ଦ୍ର ନାଗ ତହିଁରେ ଆଉ ଟିକିଏ ଯୋଡନ୍ତି। 'ଖାଲି ମେଗା ପ୍ରକଳ୍ପ ନୁହଁ, କୌଣସି ବି ପାଇପ ଜଳ ଯୋଗାଣ ପ୍ରକଳ୍ପରେ ଲୋକଙ୍କ ମତ କଣ ତାହା ଜାଣିବାର ଚେଷ୍ଟା କରାଯାଉନାହିଁ , ଫଳରେ ଅଧିକାଶ ପ୍ରକଳ୍ପ ଅଚଳ ହୋଇ ପଡିରହିଛି। ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବେଳେ ଅତି ନିମ୍ନମାନର କାମ ହେଉଛି ଏବଂ ଆବଶ୍ୟକତା କିଛି ଥିବା ବେଳେ କାମ ଅନ୍ୟ କିଛି ହେଉଛି। ''
ତେବେ ଏହିଭଳି ସମସ୍ୟାକୁ ସମାଧାନ କରିବାରେ ସେମାନେ ଆଗୁଆ ଓ ସକ୍ରିୟ ଭୂମିକା ନେଇପାରିବେ ବୋଲି ଜଳ ପରିମଳ କମିଟୀ ତଥା ଜଳବନ୍ଧୁ ମଞ୍ଚର କର୍ମକର୍ତ୍ତାମାନେ ଏବେ ଆଶାବାଦୀ। ନୂଆପଡ଼ା ଜିଲ୍ଲାରେ ସ୍ୱଚ୍ଛ ଓ ସୁରକ୍ଷିତ ଜଳ ଯୋଗାଣ ପାଇଁ ସରକାର ଗ୍ରହଣ କରୁଥିବା ବିଭିନ୍ନ ସରକାରୀ ଯୋଜନାକୁ ସଫଳ କରିବା ପାଇଁ ସେମାନେ ନିଜଆଡୁ ଉଦ୍ୟମ ବଢାଇବା ପାଇଁ ଏବେ ପ୍ରସ୍ତୁତ। ଗ୍ରାମ୍ୟ ଜଳ ପରିମଳ ବିଭାଗ, ପଞ୍ଚାୟତ ତଥା ଗ୍ରାମବାସୀ ସମସ୍ତେ ପରସ୍ପର ସହିତ ବିଚାରଆଲୋଚନା କରି ପରସ୍ପରର କାମକୁ ସାହାଯ୍ୟ କଲେ ନୂଆପଡାର ପାନୀୟ ଜଳ ସ୍ଥିତି ସ୍ୱଚ୍ଛଳ ହୋଇଯିବ ବୋଲି କହନ୍ତି କୋମନା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ଜଳବନ୍ଧୁ ମଞ୍ଚର ସକ୍ରିୟ କର୍ମକର୍ତ୍ତା ଭକ୍ତରାମ ଶବର। ଶ୍ରୀ ଶବରଙ୍କ ଯୁକ୍ତିର ପ୍ରାସଙ୍ଗିକତାକୁ ନୂଆପଡାର ଲୋକେ ବୁଝିବା ଆରମ୍ଭ କଲେଣି। ପାଇପରେ ଥିବା ଫାଟମାନ ବନ୍ଦ କରିବ ପାଇଁ ଏବେ ସେମାନେ ପ୍ରସ୍ତୁତ ହେଲେଣି।
Path Alias
/articles/paaiparae-phaata
Post By: Hindi